ଓଡିଶା

ଆଉ ୨ ଦିନ କାଳବୈଶାଖୀ

ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ଦିନେ ଛଡ଼ା ଦିନେ କାଳବୈଶାଖୀ ଯୋଗୁଁ ବର୍ଷା ହେଉଥିବାରୁ ଗରମ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଏଭଳି ସ୍ଥିତି ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବା ସହ ଆଜି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୪୮ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ କାଳବୈଶାଖୀ ଜନିତ ଚେତାବନୀ ଜାରି ହୋଇଛି। ଏହି ସମୟରେ ବର୍ଷା ସାଙ୍ଗକୁ କିଛି ସ୍ଥାନରେ କୁଆପଥର ଓ ସ୍ଥାନେ ସ୍ଥାନେ ପବନର ବେଗ ବଢ଼ି ଘଣ୍ଟା ପ୍ରତି ୫୦-୬୦ କିମି ପହଞ୍ଚିବାର ଆଶଙ୍କା କରାଯାଉଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୋମବାର ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏସବୁ ଜିଲ୍ଲାରେ କୁଆପଥର ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏହାସହ ପବନର ବେଗ ୫୦ରୁ ୬୦ କିମି ରହିବା ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ରାୟଗଡ଼ା, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ପବନର ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିବ। ୬ ତାରିଖରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଅନ୍ୟପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଏହାପରେ ଧୀରେଧୀରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଉଦଳାରେ ସର୍ବାଧିକ ୮୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡାରେ ସର୍ବାଧିକ ୪୦.୬ ଡିଗ୍ରୀ ଓ ଭଦ୍ରକରେ ସର୍ବନିମ୍ନ ୧୭.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button