ଓଡ଼ିଶାର ବିପଦର ବନ୍ଧୁ ବଙ୍ଗ- ଜଗନ୍ନାଥ ଧାମକୁ ନେଇ କାହିଁକି ଆପତ୍ତି- ଦିଦି

ମାନିଲେନି ଦିଦି। ପାଲଟା ଅଧିକ ତେଜିଲେଣି ବିବାଦକୁ। ଓଡ଼ିଶାକୁ ଦେକାଇଲେ ନାଲି ଆଖି। ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କହି ଓଡ଼ିଶା ଓ ଜଗନ୍ନାଥ ଭକ୍ତଙ୍କ ଭାବାବେଗ ସହ ଖେଳିଥିବା ଦିଦି ଓଡ଼ିଶା ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଦେଲେ। ଜଗନ୍ନାଥ ଧାମ ବଦଳରେ ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ ଆଜି ସକାଳୁ ଟାଣି ପୁଣି ଏହି ବିବାଦକୁ ଉସୁକାଇଛନ୍ତି ମମତା ବାନାର୍ଜୀ। ଏହା ସହ ଓଡ଼ିଶାର ସବୁ ବିପତ୍ତିର ବନ୍ଧୁ ସାଜିଆସିଛି ପଶ୍ଚିମବଙ୍ଗ। ଆଳୁ ସଂକଟ ହେଲେ ପଶ୍ଚିମବଙ୍ଗ ଆଳୁ ଦେଉଛି। ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାମରେ ପଶ୍ଚିମବଙ୍ଗ ନିଜ ଇଞ୍ଜିନିୟରଙ୍କୁ ପଠାଇଲା। ଓଡ଼ିଶାକୁ ସେ ବହୁତ ଭଲ ପାଆନ୍ତି। କିନ୍ତୁ ଦୀଘାରେ ଜଗନ୍ନାଥ ମନ୍ଦିର ହେବା ପରେ ଓଡ଼ିଶା କାହିଁକି ଏତେ ଅବଶୋଷ ଜାହିର କରୁଛି ବୋଲି ପଚାରିଛନ୍ତି ଦିଦି। କାହିଁକି ଓଡ଼ିଶାରେ ବଙ୍ଗାଳୀଙ୍କୁ ଟାର୍ଗେଟ କରାଯାଉଛି ବୋଲି ବର୍ଷିଛନ୍ତି ଦିଦି। ସେପଟେ ଦିଦିଙ୍କୁ ସମର୍ଥନ କରି ଆଗକୁ ଆସିଛନ୍ତି ଇସ୍କନ ଉପସଭାପତି ରାଧାରମଣ ଦାସ। ଶାସ୍ତ୍ର ଅନୁସାରେ ୪ ଧାମ ରହିଛି। କିନ୍ତୁ ଅନ୍ୟସ୍ଥାନରେେ ଥିବା ଜଗନ୍ନାଥ ମନ୍ଦିରକୁ ବି ଧାମ କୁହାଯାଇପାରିବ। ଯେଉଁଠି ମନ୍ଦିର, ତୀର୍ଥସ୍ଥଳ ବା ଶ୍ରଦ୍ଧାଳୁଙ୍କ ସମାଗମ ହୁଏ, ତାକୁ ବି ଧାମ କୁହାଯାଇପାରିବ। ବୃନ୍ଦାବନ, ନବଦୀପ ଧାମର ନଜିର ଦେଇଛନ୍ତି ରାଧାରମଣ। ଦୀଘାରେ ଭବ୍ୟ ଜଗନ୍ନାଥଙ୍କ ପ୍ରାଣପ୍ରତିଷ୍ଠା ହେବା ପରେ ସେ ସ୍ଥାନ କେମିତି ସାଧାରଣ ହୋଇପାରିବ। ଯେଉଁଠି ପ୍ରଭୂ ନିବାସ କରିସାରିଲେଣି ତାକୁ ଧାମ କୁହାଯାଇପାରିବ। ଏହାକୁ ବିରୋଧ କରୁଥିବା ବ୍ୟକ୍ତିବିଶେଷ ସଠିକ୍ କହୁନାହାନ୍ତି।