ଓଡିଶା

କନ୍ଧମାଳରେ ପ୍ରଥମଥର ପାଇଁ ‘କଳା ହଳଦୀ’ ଚାଷ

ଫୁଲବାଣୀ,୫/୬ : କନ୍ଧମାଳ ଜିଲ୍ଲାରେ କଳାଧାନ (କଳାବତୀ) ଓ କଳାଗହମ ଚାଷର ସଫଳତା ପରେ ଏବେ ପ୍ରଥମ କରି କଳାହଳଦୀ ଚାଷ ଆରମ୍ଭ ହୋଇଛି। କନ୍ଧମାଳ ଜୈବିକ ହଳଦୀ ଏହାର ଗୁଣବତ୍ତା ଓ ସ୍ବାତନ୍ତ୍ରୢ ଦୃ‌ଷ୍ଟିରୁ ବିଶ୍ବବଜାରରେ ପହଞ୍ଚିପାରିଛି ଓ ଜିଆଇ ଟ୍ୟାଗ୍‌ ମଧ୍ୟ ହାସଲ କରିସାରିଛି। ଏବେ କଳାହଳଦୀ ଚାଷ ପ୍ରତି ଜିଲ୍ଲାର ଚାଷୀ ଆଗ୍ରହ ପ୍ରକାଶ କରିଛନ୍ତି। ପରୀକ୍ଷାମୂଳକ ଭାବେ କସମ୍‌ (କନ୍ଧମାଳ ଆପେକ୍ସ ସ୍ପାଇସେସ୍‌ ଆସୋସିଏସନ୍‌ ଫର୍‌ ମାର୍କେଟିଂ) ପକ୍ଷରୁ କଳାହଳଦୀ ଚାଷ ନିମନ୍ତେ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି। କଳାହଳଦୀର ବିହନ କେରଳରୁ ଅଣାଯାଇ କନ୍ଧମାଳର ଚାଷୀଙ୍କୁ ଯୋଗାଇ ଦିଆଯାଇଛି ବୋଲି ‘କସମ୍‌’ର ସମ୍ପାଦକ ସଞ୍ଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଔଷଧୀୟ ଗୁଣ ଯୋଗୁଁ କଳାହଳଦୀ ଚାଷ ପ୍ରତି ଚାଷୀଙ୍କର ଆଦର ବଢ଼ିଛି। ବିଶେଷକରି ଏହି ହଳଦୀ ବିକ୍ରିବଟା ନେଇ କୌଣସି ସମସ୍ୟା ରହିବ ନାହିଁ। ଚଳିତବର୍ଷ ୪ କ୍ବିଣ୍ଟାଲ କଳା ହଳଦୀ କନ୍ଧମାଳର ଚାଷୀ ଉତ୍ପାଦନ କରିଛନ୍ତି। ତେବେ ଆସନ୍ତାବର୍ଷ ଏହାର ଉତ୍ପାଦନ ଦୁଇଗୁଣ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। କଳାହଳଦୀର ବଜାର ମୂଲ୍ୟ ବର୍ତ୍ତମାନ କିଲୋ ପ୍ରତି ୧୫୦ରୁ ୨୦୦ ଟଙ୍କା ମଧ୍ୟରେ ରହିଛି।

ସେହିଭଳି ଗତ ଦୁଇ ବର୍ଷ ତଳୁ କନ୍ଧମାଳ ଜିଲ୍ଲାରେ କଳା ଗହମ ଚାଷ ଆରମ୍ଭ ହୋଇଛି। କଳାଗହମର ଔଷଧୀୟ ମୂଲ୍ୟ ଯୋଗୁ ବଜାରରେ ଏହାର ଢେର୍‌ ଚାହିଦା ରହିଛି। ଉଚ୍ଚ ରକ୍ତଚାପ, ଡାଇବେଟିକ୍‌ସ ରୋଗୀଙ୍କ ପାଇଁ କଳାଗହମ ଅମୋଘ ଔଷଧ ହୋଇଥିବାରୁ ଦେଶରେ ଏହାର ଚାହିଦା ରହିଛି। ବିଶେଷକରି କଳାଗହମରୁ ପ୍ରସ୍ତୁତ ଅଟା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ। କନ୍ଧମାଳ ଜିଲ୍ଲାର ମାଳଭୂମି, ସ୍ବଳ୍ପ ବୃଷ୍ଟିପାତ ଓ ଉଚ୍ଚ ଗଡ଼ାଣିଆ ଜମି କଳା ଗହମ ଓ କଳା ହଳଦୀ ଚାଷ ପାଇଁ ଅନୁକୂଳ ହେବ ବୋଲି ଆଶା କରାଯାଉଛି। କଳାଗହମରୁ ପ୍ରସ୍ତୁତ ଅଟା ଗ୍ଲୁଟେନ୍‌ ମୁକ୍ତ ହୋଇଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କଳାଗହମର ଅଟାରୁ ଔଷଧୀୟ ଦଲିଆ ପ୍ରସ୍ତୁତ କରାଯାଇ ବଜାରରେ ଉପଲବ୍‌ଧ ହେଉଛି। ସ୍ଥଳ ବିଶେଷରେ ଏହା କିଲୋ ପିଛା ୮୦ରୁ ୧୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button