କର୍ଣ୍ଣାଟକରେ ରେକର୍ଡ ଭାଙ୍ଗିଲା ବର୍ଷା : ୭୧ ଲୋକ ମୃତ

ନୂଆଦିଲ୍ଲୀ, ୦୧/୦୬ : କର୍ଣ୍ଣାଟକରେ ଅଧିକ ବର୍ଷା ଯୋଗୁଁ ୭୧ ଲୋକଙ୍କ ପ୍ରାଣହାନୀ ଘଟିଛି । ରାଜ୍ୟରେ ଏପ୍ରିଲ ମାସଠାରୁ ଲଗାତାର ଆଗୁଆ ମୌସୁମୀ ଆରମ୍ଭ ହୋଇଛି । ଅତ୍ୟଧିକ ବର୍ଷା କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ମେ ମାସ ମଧ୍ୟରେ କର୍ଣ୍ଣାଟକରେ ୧୦୮ ମିମି ବର୍ଷା ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ମେ ୨୯ ତାରିଖ ମଧ୍ୟରେ ୨୭୦ ମିମି ବର୍ଷା ହୋଇଥିଲା । ଯାହା ୧୫୦ ପ୍ରତିଶତ ଅଧିକ ରହିଥିଲା । ୧୨୫ ବର୍ଷ ମଧ୍ୟରେ ବର୍ଷାର ପ୍ରତିଶତ ସର୍ବାଧିକ ବୋଲି ବୈଠକରେ ସିଦ୍ଧରମୈୟା କହିଥିଲେ । ଏହା ସହିତ ସିଦ୍ଧରମୈୟା କହିଛନ୍ତି ଯେ, ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି ଏବଂ ୧୦୦୦ କୋଟି ଟଙ୍କା ରହିଛି । ଡିସି ଏବଂ ସିଇଓଙ୍କୁ ସମସ୍ତ ସ୍ଥାନ ବୁଲି ରିଲିଫ୍ ପ୍ରୟାସ ତଦାରଖ କରିବାକୁ ଦେ ନିର୍ଦ୍ଦେଶ ଦେଇଥିଲେ । ତୁରନ୍ତ ପଦକ୍ଷେପ ନ ନେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ଦେଇଥିଲେ ।”ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ପାଇଁ ସରକାର ୧.୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ। ଏପରି ପରିବାର ପାଇଁ ଏକ ନୂତନ ଘର ନିର୍ମାଣ କରାଯିବ, ଯାହା ପାଇଁ ଡିସିମାନଙ୍କୁ ପଦକ୍ଷେପ ନେବାକୁ ପଡିବ,” ସିଦ୍ଧରମୈୟା କହିଛନ୍ତି । ଏପଟେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ଗ୍ରାମ ପଞ୍ଚାୟତ ସ୍ତରରେ ବିଭିନ୍ନ ବିଭାଗକୁ ନେଇ ଟାସ୍କଫୋର୍ସ ଗଠନ କରିଛନ୍ତି । “ଯଦି ସମସ୍ତେ ମିଳିତ ଭାବରେ କାମ କରନ୍ତି, ତେବେ ସତର୍କତାମୂଳକ ପଦକ୍ଷେପ ନିଆଯାଇପାରିବ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି