ଦେଶ ବିଦେଶ

ଦଳାଚକଟା ଲାଗି ଦାୟୀ – ଅଧିକାରୀଙ୍କ ଉପରେ ଆକ୍ସନ

ଜୁନ୍ ୪ ତାରିଖରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ ରେ ଆୟୋଜିତ ଆରସିବି ଆଇପିଏଲ୍ ବିଜୟ ଉତ୍ସବ ସମୟରେ ହୋଇଥିବା ଦଳାଚକଟା ଘଟଣାରେ କର୍ଣ୍ଣାଟକ ସରକାର ନେଇଛନ୍ତି ଆକ୍ସନ। ଭିଡ଼ ପରିଚାଳନାରେ ତ୍ରୁଟି ପାଇଁ ବେଙ୍ଗାଲୁରୁ ପୋଲିସ୍ କମିଶନର୍ ବି.ଦୟାନନ୍ଦ, ଅତିରିକ୍ତ କମିଶନର୍, ଡିସିପି, ଏସିପି ଓ କବ୍ବନ୍ ପାର୍କ ଥାନାର ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି। ଆରସିବି ଓ ଉତ୍ସବ ଆୟୋଜନ କରିଥିବା DNA ଏଣ୍ଟରଟେନମେଣ୍ଟ ବିରୁଦ୍ଧରେ ଏତଲା ରୁଜୁ ହୋଇଛି। ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେ ଓ DNA ଏଣ୍ଟରଟେନମେଣ୍ଟର ୨ ଅଧିକାରୀଙ୍କୁ ଗିରଫ କରାଯାଇଛି। ଗୁରୁବାର ବିଳମ୍ୱିତ ରାତିରେ ନିଖିଲ ସୋସାଲେ, ଡିଏନଏ ଇଭେଣ୍ଟ ମ୍ୟାନେଜର କିରନ କୁମାର ଓ ଭାଇସ-ପ୍ରେସିଡେଣ୍ଟ ସୁନୀଲ ମାଥ୍ୟୁଙ୍କୁ ଗିରଫ କରାଯାଇଛି। ବେଙ୍ଗାଲୁରୁ ବିମାନବନ୍ଦରରୁ ଏମାନଙ୍କୁ ଗିରଫ କରାଯାଇଥିଲା। ସରକାର କହିଛନ୍ତି, ଯିଏ ବି ଦୋଷୀ କାହାକୁ ନିସ୍ତାର ମିଳିବନି। ବେଙ୍ଗାଲୁରୁର ନୂଆ ସିପି ଭାବେ ଜଏନ କରିଛନ୍ତି ସିମନ୍ତ କୁମାର ସିଂ। ଚିନ୍ନାସ୍ୱାମୀ ଷ୍ଟାଡ଼ିଅମରେ ଆରସିବିର ବିଜୟ ଉତ୍ସବ ବେଳେ ଦଳାଚକଟାରେ ୧୧ ଜଣ ମୃତ୍ୟୁବରଣ କରିଥିଲା ବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।ଏହି ଘଟଣାର ତଦନ୍ତ ଲାଗି ମ୍ୟାଜିଷ୍ଟ୍ରେଟ୍ ସ୍ତରୀୟ ଅନୁସନ୍ଧାନ ଆଦେଶ ଦିଆଯାଇଛି। IAS ଅଫିସର ଜି ଜଗଦୀଶ ଏହି ଅନୁସନ୍ଧାନ କରି ୧୪ ଦିନ ମଧ୍ୟରେ ରିପୋର୍ଟ ଦେବେ। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟା।ଆହତ ଲୋକଙ୍କୁ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ନିଃଶୁଳ୍କ ଚିକିତ୍ସା ଦିଆଯାଉଛି। ବିଜେପି କହିଛି, ଏହା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ମନୁଷ୍ୟକୃତ ବିପର୍ଯ୍ୟୟ ଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ସିଧା ଦାୟୀ। ନିଜେ ଉତ୍ତରଦାୟିତ୍ୱ ନେବା ବଦଳରେ କିଛି ଅଧିକାରୀଙ୍କ ମୁଣ୍ଡରେ ଅଠା ବୋଳି ଖସିଯିବାକୁ ଚକ୍ରାନ୍ତ କରୁଛନ୍ତି। ୨୪ ଘଣ୍ଟା ତଳେ କହିଥିଲେ, ପୁଲିସ ଭଲ କାମ କରିଥିଲା। ଭିଡ଼ ନିୟନ୍ତ୍ରଣରେ ସଫଳ କହି ଜନତାଙ୍କୁ ଦାୟୀ କରିଥିଲେ ସରକାର। ଏତେ କମ୍ ସମୟ ଭିତରେ ଆରସିବି ପାଇଁ ଏତେ ବଡ଼ ଆୟୋଜନ ଓ କ୍ଲିଅରାନ୍ସ ଲାଗି ଅନୁମତି ଦେଇଥିଲା କିଏ। ଆରସିବି କଅଣ ଜାତୀୟ ଟିମ୍ ଥିଲା କି। ବିଧାନସୌଧ ଭିତରେ କାର୍ଯ୍ୟକ୍ରମ ଆୟୋଜନ ଲାଗି ପୁଲିସ ଅନୁମତି ଦେଇଥିଲା କି। ଉପ-ମୁଖ୍ୟମନ୍ତ୍ରୀ ଟିମକୁ ରିସିଭ୍ କରିବାକୁ ଏୟାରପୋର୍ଟ ଯାଇଥିଲେ। ଆରସିବି ଫ୍ଲାଗ୍ ଧରି ଫଟୋଅପ କରି କ୍ରେଡିଟ୍ ନେବାକୁ ଚାହିଁଥିଲେ। ଲୋକେ ମରୁଥିଲା ବେଳେ ବି ସମ୍ୱର୍ଦ୍ଧନାର ସେଲିବ୍ରେସନ ଜାରି ଥିଲା। ତା ହେଲେ ନେତା ଦାୟୀ ହେବେନି କେମିତି। ସେପଟେ ଆରସିବି କ୍ଲବ ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ ମଧ୍ୟ ₹୧୦ ଲକ୍ଷ ଦେବା ଘୋଷଣା ହୋଇଛି। ଆହତ ୪୭ ଜଣ ଫ୍ୟାନ୍ସଙ୍କ ପାଇଁ “RCB Cares” ଫଣ୍ଡ ଗଠିତ କରାଯାଇଛି। କର୍ଣ୍ଣାଟକ ହାଇକୋର୍ଟ ଏହି ଦୁର୍ଘଟଣା ପରେ ନିଜ ଆଡ଼ୁ ସଂଜ୍ଞାନ ନେଇଥିଲେ। ଏହାର ଶୁଣାଣୀ ବି ହାଇକୋର୍ଟରେ ଆରମ୍ଭ ହୋଇଛି। ଦଳାଚକଟା ଘଟଣାରେ ବ୍ଲେମଗେମ୍ ସରୁନି।

 

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button