ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଥାଇଲାଣ୍ଡର ଓପଲ ସୁଚାତା

ନୂଆଦିଲ୍ଲୀ, ୦୧/୦୬ : ବିଶ୍ୱ ସୁନ୍ଦରୀ-୨୦୨୫ ଫାଇନାଲ ମୁକାବିଲା ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା । ବିଶ୍ୱ ସୁନ୍ଦରୀ ଟାଇଟଲ୍ ଜିତିଛନ୍ତି ଥାଇଲାଣ୍ଡର ଓପଲ ସୁଚାତା ଚୁଆଙ୍ଗଶ୍ରୀ । ରନର୍-ଅପ୍ ହୋଇଛନ୍ତି ମିସ୍ ଇଥିଓପିଆ । ୩ୟ ସ୍ଥାନ ହାସଲ କରିଛନ୍ତି ମିସ୍ ପୋଲାଣ୍ଡ ଏବଂ ଚତୁର୍ଥରେ ଅଛନ୍ତି ମିସ୍ ମାର୍ଟିନିକ୍ୟୁ । ମିସ୍ ୱାର୍ଲ୍ଡ ୨୦୨୫ରେ ଭାରତର ସ୍ୱପ୍ନ ଭାଙ୍ଗିଛି । ଶୀର୍ଷ ୮ରେ ପହଞ୍ଚିପାରିଲେ ନାହିଁ ନନ୍ଦିନୀ ଗୁପ୍ତା । ସେ ୪୦ତମ ସ୍ଥାନରେ ରହିଛନ୍ତି । ଓପଲ ସୁଚାତା ମିସ୍ ୱର୍ଲଡ୍ ଥାଇଲାଣ୍ଡ-୨୦୨୫ ଟାଇଟଲ୍ ଜିତିବା ପରେ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ନୂଆ ଯାତ୍ରା ଆରମ୍ଭ କରିଥିଲେ । ୨୦୦୩, ମାର୍ଚ୍ଚ ୨୦ରେ ଥାଇଲାଣ୍ଡର ତଟୀୟ ସହର ଫୁକେଟରେ ଜନ୍ମଗ୍ରହଣ କରିଥିଲେ । ଜଣେ ହୋଟେଲ ମାଲିକଙ୍କ ଝିଅ ହୋଇଥିବାରୁ ଅତିଥି ସେବାକୁ ଦେଖି ଦେଖି ସେ ବଡ଼ ହୋଇଛନ୍ତି । ସେ ଥାଇ, ଇଂରାଜୀ ଓ ଚାଇନିଜ୍ ଭାଷା ଜାଣନ୍ତି । ବ୍ୟାଙ୍କକ୍ର ଟ୍ରିଆମ ଉଡୋମ୍ ସୁକ୍ସା ସ୍କୁଲରୁ ତାଙ୍କର ଶିକ୍ଷା ଆରମ୍ଭ ହୋଇଥିଲା । ସେଠାରେ ଚାଇନିଜ୍ ଅଧ୍ୟୟନ ଜରିଆରେ ଭାଷା ଓ ଅନ୍ତର୍ଜାତୀୟ ସଂସ୍କୃତି ପ୍ରତି ତାଙ୍କର ଉତ୍ସାହ ବଢ଼ିଥିଲା । ଏବେ ସେ ଥମ୍ମାସାଟ୍ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଅଧ୍ୟୟନ ଜରିଆରେ ବୈଶ୍ୱିକ ମାମଲାରେ ଜ୍ଞାନ ଆହରଣ କରୁଛନ୍ତି । ଅନ୍ତର୍ଜାତୀୟ ସମ୍ପର୍କ ଉପରେ ତାଙ୍କର ଫୋକସ୍ ରହିଛି । ବିଶ୍ୱ ମଞ୍ଚ ଓ ବିଶ୍ୱ ପରିବର୍ତ୍ତନ ପାଇଁ ଲକ୍ଷ୍ୟ ରଖିଥିବା ଜଣେ ବ୍ୟକ୍ତି ପାଇଁ ଏହା ଉପଯୁକ୍ତ ମାର୍ଗ । ଗତ ମେ’ଆରମ୍ଭରେ ହାଇଦ୍ରାବାଦରେ ଆରମ୍ଭ ହୋଇଥିଲା ୭୨ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା । ଏଥିରେ ଶୀର୍ଷ ୮ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଥିଲେ ଭାରତର ନନ୍ଦୀନି ଗୁପ୍ତା । ଦମ୍ଦାର ପ୍ରଦର୍ଶନ ସତ୍ତେ୍ୱ ସେ ଫାଇନାଲ ରାଉଣ୍ଡ୍କୁ ପହଞ୍ଚି ପାରିଲେ ନାହିଁ । ଟାଇଟଲ୍ ହରାଇ ମଧ୍ୟ ସେ ଦେଶ ପାଇଁ ଗର୍ବ ଓ ଗୌରବର ପ୍ରତୀକ ହୋଇଛନ୍ତି । ମିସ୍ ରାଜସ୍ଥାନ ଟାଇଟଲ୍ ଜିତିବା ପରେ ସେ ମିସ୍ ଇଣ୍ଡିଆ-୨୦୨୩ ଟାଇଟଲ ଜିତିଥିଲେ । ଗତ ବର୍ଷ ମୁମ୍ବାଇରେ ୭୧ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଚେକ୍ ଗଣରାଜ୍ୟର କ୍ରିଷ୍ଟିନା ପିସ୍ଜକୋଭା ଟାଇଟଲ୍ ହାସଲ କରିଥିଲେ ।