ବିମାନ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୩/୦୬ : ସାରା ଦେଶକୁ ସ୍ତବ୍ଧ କରିଛି ଅହମଦାବାଦର ଭୟାବହ ବିମାନ ଦୁର୍ଘଟଣା। ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୬୫କୁ ବୃଦ୍ଧି ହୋଇଛି । ଏହାରି ଭିତରେ ଗୁଜରାଟର ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଓ ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଙ୍ଘଭୀ ଉପସ୍ଥିତ ଥିଲେ। ଦୁର୍ଘଟଣାସ୍ଥଳରେ ୨୦ ମିନିଟ ରହି ସ୍ଥିତି ପରଖିଥିଲେ । ଏଥିସହ ବରିଷ୍ଠ ଅଧିକାରୀ ଓ ଉଦ୍ଧାରକାରୀ ଟିମ ସହ ଆଲୋଚନା କରିଥିଲେ। ପରେ ଅହମ୍ମଦାବାଦ ସିଭିଲ ହସ୍ପିଟାଲକୁ ଯାଇ ଦୁର୍ଘଟଣାରେ ବର୍ତ୍ତିଥିବା ବିଶ୍ୱାସ କୁମାର ରମେଶ ଓ ଅନ୍ୟ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ ହୋଇଥିଲେ । ହସ୍ପିଟାଲରେ ୨୫ ଜଣ ଆହତଙ୍କର ଚିକିତ୍ସା ଚାଲିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତରୀ ଛାତ୍ର । ସେହିପରି ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ପରିବାରକୁ ମଧ୍ୟ ଭେଟି ସମବେଦନା ଜଣାଇଛନ୍ତି ମୋଦି । ଅହମ୍ମଦାବାଦରେ ଦୁର୍ଘଟଣାସ୍ଥଳ ପରିଦର୍ଶନ ବେଳେ ବିପର୍ଯ୍ୟୟର ଦୃଶ୍ୟ ମର୍ମାହତ କରିଥିବା ପିଏମ ଏକ୍ସରେ ପୋଷ୍ଟ କରିଛନ୍ତି ।