ପୁଣି ଥରେ ଠପ୍ ହୋଇଗଲା UPI, ହୋଇପାରୁନି ଅନଲାଇନ୍ ଟଙ୍କା ନେଣ ଦେଣ

ପୁଣି ଥରେ ଦେଶରେ ଅଚଳ ହୋଇପଡ଼ିଛି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) । ସାରା ଦେଶରେ ଶନିବାର ହଠାତ୍ ୟୁପିଆଇରେ ପେମେଣ୍ଟ ଠପ୍ ହୋଇଯାଇଛି । ଯାହାକୁ ନେଇ ଚିନ୍ତାରେ ଲୋକେ । ଅନଲାଇନରେ ଟଙ୍କା ନେଣ ଦେଣ ହୋଇ ପାରୁ ନାହିଁ । ଫଳରେ ୟୁଜର୍ସମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ ଏକ ମାସ ମଧ୍ୟରେ ଏହା ତୃତୀୟ ଘଟଣା ଅଟେ ।
ଦେଶର ନାମୀଦାମୀ ଅନଲାଇନ ପେମେଣ୍ଟ ଆପ୍ ଯଥା ଗୁଗୁଲ ପେ, ଫୋନ୍ ପେ ଏବଂ ପେଟିଏମରେ ୟୁପିଆଇ ସର୍ଭର୍ ଡାଉନ ରହିଥିବା ଦେଖିବାକୁ ମିଳିଛି । ପ୍ରମୁଖ ବ୍ୟାଙ୍କ ଯଥା ଏଚଡିଏଫସି, ଏସବିଆଇ, ବ୍ୟାଙ୍କ୍ ଅଫ୍ ବରୋଦା ଓ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଗ୍ରାହକ ମାନଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଡାଉନ୍ ଡିଟେକ୍ଟର୍ ରିପୋର୍ଟ ମୁତାବକ ଅପରାହ୍ନ ୧୨ଟା ୫୬ ସୁଦ୍ଧା ପ୍ରାୟ ୨, ୧୪୭ଟି ଅଭିଯୋଗ ଆସିଛି । ପ୍ରାୟ ୮୦ ପ୍ରତିଶତ ଲୋକ ଟଙ୍କା ପଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
UPI ପରିଚାଳନା କରୁଥିବା ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଏପର୍ଯ୍ୟନ୍ତ ଏହାର କାରଣ ସମ୍ପର୍କରେ କୌଣସି ବିବୃତ୍ତି ପ୍ରକାଶ କରିନାହିଁ । ଚଳିତ ସପ୍ତାହର ଆରମ୍ଭରୁ ଏନପିସିଆଇ କହିଥିଲା ଯେ ଅନ୍ତର୍ଜାତୀୟ ୟୁପିଆଇ ଟ୍ରାଞ୍ଜାକ୍ସନ ନିୟମରେ ପରିବର୍ତ୍ତନ କରାଯାଉଛି । ଏପ୍ରିଲ ୮ ତାରିଖରୁ, ଭାରତ ବାହାରେ କରାଯାଉଥିବା ପେମେଣ୍ଟ ପାଇଁ QR କୋଡ୍ ବ୍ୟବହାରକୁ ସୀମିତ କରାଯାଇଛି । କିନ୍ତୁ ଭାରତ ଭିତରେ QR-ଆଧାରିତ ପେମେଣ୍ଟ ପ୍ରଭାବିତ ହୋଇନାହିଁ ।