ଓଡିଶା

୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ : ଜୁନ୍‌ରେ ଅଧିକ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୮/୦୫ : ମୌସୁମୀ କେରଳରେ ଆଗୁଆ ପହଞ୍ଚିଛି। ଓଡ଼ିଶାରେ ବି ସ୍ୱାଭାବିକ ସମୟଠାରୁ ଆଗୁଆ ପହଞ୍ଚିବ । ଆସନ୍ତା ଦୁଇ ଦିନରେ ଓଡ଼ିଶାରେ ପହଞ୍ଚିପାରେ ମୌସୁମୀ । ଏଥର ଜୁନ୍‌ରେ ଓଡ଼ିଶା ସମେତ ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ଜୁନ୍‌ରୁ ସେପ୍ଟେମ୍ବର ମାସ ଯାଏ ଦେଶରେ ମୌସୁମୀ ବର୍ଷା ସ୍ଥିତି କିଭଳି ରହିବ, ସେନେଇ ଆଇଏମ୍‌ଡି ଆଜି ବିସ୍ତୃତ ସୂଚନା ଜାରି କରିଛି। ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବ ଭାରତର କିଛି ସ୍ଥାନରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇପାରେ। ଏହାକୁ ଛାଡ଼ି ଦେଶର ବାକି ସବୁ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଅରୁଣାଚଳ, ଆସାମ ଓ ମେଘାଳୟରେ କମ୍‌ ବର୍ଷା ହୋଇପାରେ । କିନ୍ତୁ ଓଡ଼ିଶାରେ ଭଲ ବର୍ଷା ହେବ। ତେବେ ପଶ୍ଚିମ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାର କିଛି ସ୍ଥାନରେ କମ୍‌ ବର୍ଷା ହୋଇପାରେ ବୋଲି ମଡେଲରୁ ଜଣାପଡ଼ିଛି । ଆଇଏମଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ଦକ୍ଷିଣ ଭାରତକୁ ମୌସୁମୀ ଛୁଇଁ ସାରିଛି । ଜୁନ୍‌ ୧୨ ତାରିଖ ବେଳକୁ ସ୍ୱାଭାବିକ ଭାବେ ମୌସୁମୀ ଓଡ଼ିଶାରେ ପହଞ୍ଚେ । ଏଥର ମୌସୁମୀ ଅଧିକ ସକ୍ରିୟ ଅଛି ଓ କେରଳରେ ଶୀଘ୍ର ପହଞ୍ଚିଛି । ପ୍ରଥମେ ଆରବସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା । ମହାରାଷ୍ଟ୍ର ଉପକୂଳ ପାଖରେ ଏହା ଅବପାତରେ ପରିଣତ ହୋଇଥିଲା । ମଙ୍ଗଳବାର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ବଙ୍ଗୋପସାଗର ଓ ଆରବସାଗରରେ ଲଘୁଚାପ ପ୍ରଭାବରେ ଅଧିକ ମେଘଖଣ୍ଡ ସୃଷ୍ଟି ହୋଇପାରେ । ଏହା ପବନର ଗତିକୁ ବଢ଼ାଇବ ଓ ମୌସୁମୀକୁ ଅଧିକ ସକ୍ରିୟ କରିବ । ଏଥର ମୌସୁମୀରେ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି। ଅବପାତ ହେବା ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିପାରେ ବୋଲି ମଧ୍ୟ କୁହାଯାଇଛି । ଲଘୁଚାପ ପ୍ରଭାବରେ ଆସନ୍ତା ୪ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) । ବୁଧବାର ଓ ଗୁରୁବାର ଦୁଇ ଦିନ ପାଇଁ ବିଭିନ୍ନ ସ୍ଥାନକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବୁଧବାର(୨୮ ତାରିଖ) ଜଗତ୍‌ସିଂହପୁର, ପୁରୀ, କଟକ, କୋରାପୁଟ ଓ ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । ଏହି ୫ଟି ସ୍ଥାନକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ବର୍ଷା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବି ବହିବ ବୋଲି ଆକଳନ କରାଯାଇଛି । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଗୁରୁବାର (୨୯ ତାରିଖ) ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button