ଓଡିଶା

ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା

ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା। ବାପା ଘରୁ ବିଦାୟ ନେଲେ ମାଆ ସାଆନ୍ତାଣି।  ଭୋରୁ ଭୋରୁ ପହଁଚିଲେ ଶାଶୁ ଘରେ। ବିଦାୟ ବେଳେ ଭାବ ବିହ୍ଵଳ ହେଲେ ଶ୍ରଦ୍ଧାଳୁ।

୨୫ ଦିନ ଧରି ଚାଲିଥିଲା ମା’ଙ୍କ ଯାତ୍ରା। ମା’ଙ୍କ ବିଦାୟ ବେଳେ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ଶ୍ରଦ୍ଧାଳୁ। ମାଆଙ୍କ ସହ ସହସ୍ରାଧିକ ମାନସିକ ଘଟଧାରୀ ଭ୍ରମଣ କରିଥିଲେ।  ବାଜା ବାଜଣା, ଢୋଲ ନାଦରେ ପ୍ରକମ୍ପିତ ହେଲା ପୁରା ପରିବେଶ। ହଜାର ହଜାର ଭକ୍ତଙ୍କ ଗହଣରେ ମାଆ ନେଲେ ବିଦାୟ। ୨୫ ଦିନ ଧରି ବାପା ଘରେ ଗେଲ ବସରରେ ଲୀଳା ଖେଳା କରୁଥିଲେ ମାଆ ସାଆନ୍ତାଣି।  ରାତି ପାଖାପାଖି ୧ଟା ୨୦ ମିନିଟ ସମୟରେ ମାଆ ବାପା ଘରୁ ବିଦାୟ ନେଇଥିଲେ।

ଅସ୍ଥାୟୀ ପୀଠରୁ ଅସ୍ଥାୟୀ ଘଟରେ ଧାରଣ କରିଥିବା ମାଆ ବାହାରିଥିଲେ ଶାଶୁ ଘର ଅଭିମୁଖେ। ବାପା ଘରକୁ ହସ ଖୁସିରେ ଝିଅ ଆସିଥିବା ଏବଂ ବିଦାୟ ବେଳେ ଯେମିତି ଦୁଃଖ ଲାଗେ ମାଆ ମଧ୍ୟ ସେମିତି ବିଦାୟ ନେଲା ବେଳେ ଦୁଃଖ ଲାଗିଥିବା କହିଛନ୍ତି ଶ୍ରଦ୍ଧାଳୁ।ମାଆଙ୍କ ମୁଖ୍ୟ ଘଟ ସହ ୮ ଟି ପାର୍ଶ୍ୱ ଘଟ ବାହାରିଥିଲେ। ବାପା ଘରକୁ ଝିଅ  ଆସିବାର ୨୬ ଦିନ ହେଲା। ବିଳମ୍ବିତ ରାତିରେ ମାଆ ବିଦାୟ ନେଇଥିବାରୁ ଦୁଃଖ ଲାଗୁଛି। ପୁଣି ଦୁଇବର୍ଷ ପରେ ଝିଅକୁ ଆଣିବା ପାଇଁ ଅପେକ୍ଷା କରିଛି ବୋଲି ବାପା ଦେଶିବେହେରା କହିଛନ୍ତି।

ମାଆଙ୍କ ସହ ସାଥିରେ ହଜାର ହଜାର ମାନସିକ ମହିଳା ଘଟଧାରୀ ସ୍ଥାୟୀ ମନ୍ଦିର ଅଭିମୁଖେ ଯାଇଛନ୍ତି। ବିଦାୟ ବେଳେ ମାଆ ପ୍ରଥମେ ରାଜବାଟୀରେ ରାଜ ଦର୍ଶନ କରି ବିଭିନ୍ନ ସାହି ଭ୍ରମଣ କରିଥିଲେ। ଏହାରି ଭିତରେ ଜଉରା ସାହିସ୍ଥିତ ମାଉସୀ ମାଆ ଘରେ ପହଞ୍ଚି ପୋଡ଼ ପିଠା ଖାଇ କିଛି ସମୟ ବିଶ୍ରାମ ନେଇଥିଲେ ମାଆ ସାଆନ୍ତାଣି । ମାଆଙ୍କ ସହ ସହସ୍ରାଧିକ ଘଟଯାତ୍ରା ଥିଲା ଅନନ୍ୟ। ଭୋରୁ ଭୋରୁ ଶାଶୁ ଘର ଅର୍ଥାତ ମୁଖ୍ୟ ପୀଠରେ ପହଂଚିବା ପରେ ମୁଖ୍ୟ ଘଟ ମନ୍ଦିର ଚାରିପାଖେ ପରିକ୍ରମା କରିଥିଲେ।  ଘଟରୁ ଆଜ୍ଞାମାଳକୁ ବାହର କରାଯାଇ ମାଆଙ୍କ ମସ୍ତକରେ ପୁନଃ ସ୍ଥାପନ କରାଯିବା ପରେ ରୀତିନୀତି ଅନୁସାରେ ପୂଜାର୍ଚନା ଆରମ୍ଭ ହୋଇଥିବା କହିଛନ୍ତି ମନ୍ଦିର ପୂଜକ। ପରେ ସହସ୍ରାଧିକ ଘଟ ମନ୍ଦିରରେ ସ୍ଥାପନା କରା ଯାଇଥିଲା।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button