କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନାହିଁ: ସୋଫିଆ

ପାକିସ୍ତାନ ଏବଂ ପାକ ଅଧିକୃତ କଶ୍ମୀରରେ ଭାରତ ମଧ୍ୟରାତ୍ରିରେ ବିମାନରୁ ଆକ୍ରମଣ କରିଛି। ଅପରେଶନ ସିନ୍ଦୂର ମାଧ୍ୟମରେ ଭାରତୀୟ ବାୟୁସେନା ଦ୍ବାରା ଏକକାଳୀନ ୯ଟି ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇଛି। ବୁଧବାର ଦିନ ସରକାର ଏନେଇ ଏକ ବିବୃତ୍ତିରେ କହିଛନ୍ତି ଯେ ଭାରତୀୟ ସଶସ୍ତ୍ର ବାହିନୀ ଅପରେସନ ସିନ୍ଦୂର ଆରମ୍ଭ କରିଥିଲେ। ଯାହା ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରର ନଅଟି ସ୍ଥାନରେ ଆକ୍ରମଣ କରାଯାଇଥିଲା। ବିବୃତ୍ତିରେ କୁହାଯାଇଛି ଯେ କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନାହିଁ।
କର୍ଣ୍ଣେଲ ସୋଫିଆ କୁରେଶୀ ଓ ୱିଙ୍ଗ କମାଣ୍ଡର ଭ୍ୟୋମିକା ଅପରେସନ ସିନ୍ଦୂର ବିଷୟରେ ସୂଚନା ଦେଇ କହିଛନ୍ତି, ଏହି ଅପରେସନ ଅଧୀନରେ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଛି। ନିରୀହ ନାଗରିକମାନେ ଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତି, ସେଥିପାଇଁ ବିଶେଷ ଯତ୍ନ ନିଆଯାଇଥିଲା, ତେଣୁ ଏଜେନ୍ସିଗୁଡ଼ିକରୁ
ମିଳିଥିବା ସୂଚନାକୁ ବିଶେଷ ଧ୍ୟାନ ଦିଆଯାଇଥିଲା। ସାୱାଇନାଲା ଶିବିର ପ୍ରଥମ ଟାର୍ଗେଟ ଥିଲା। ଏହା ଲସ୍କର ତୈବାର ଗଡ଼ ଥିଲା। ପାକିସ୍ତାନର ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରାଯାଇ ନଥିଲା।
ଗଣମାଧ୍ୟମକୁ ସମ୍ବୋଧିତ କରି, କର୍ଣ୍ଣେଲ ସୋଫିଆ କୁରେଶୀ ପାକିସ୍ତାନ ଏବଂ ପିଓଜେକେରେ ମୁଣ୍ଡ୍ରିକ୍ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଅନେକ ଆକ୍ରମଣର ଭିଡିଓ ଉପସ୍ଥାପନ କରିଥିଲେ। ସେ କହିଛନ୍ତି ଯେ, ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା।
ମାର୍ଚ୍ଚ ୨୦୨୫ ରେ ଜମ୍ମୁ କଶ୍ମୀରର ଚାରି ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣକାରୀ ଆତଙ୍କବାଦୀମାନଙ୍କୁ ପାକିସ୍ତାନ ଭିତରେ ଥିବା ଏକ ଆତଙ୍କବାଦୀ ଶିବିରରେ ତାଲିମ ଦିଆଯାଇଥିଲା। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। କର୍ଣ୍ଣେଲ ସୋଫିଆ କୁରେଶୀ କହିଛନ୍ତି, ମର୍କଜ ସୁଭାନାଲ୍ଲାହ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ଥିଲା। ଏଠାରେ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଉଥିଲା। କୌଣସି ସାମରିକ ସ୍ଥାନକୁ ଟାର୍ଗେଟ କରାଯାଇ ନଥିଲା ଏବଂ କୌଣସି ସାଧାରଣ ନାଗରିକଙ୍କ ମୃତାହତ ହୋଇ ନାହିଁ।