ମନୋରଞ୍ଜନ

ଏଣିକି ଟ୍ରେନରେ ମିଳିବ ଏଟିଏମ୍ ସୁବିଧା

ଟ୍ରେନରେ ଯାତ୍ରା କରୁଥିଲେ ପାଖରେ ଟଙ୍କା ସରିଗଲେ ଆଉ ରେଳ ଯାତ୍ରୀଙ୍କ ପାଇଁ ଚିନ୍ତା ନାହିଁ । ଭାରତୀୟ ରେଳର ବିକାଶରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ । ପାଣି, ଖାଦ୍ୟ ଓ ଶୌଚାଳୟର ସୁବିଧା ଭଳି ଟ୍ରେନରେ ମିଳିବ ଏଟିଏମ୍ ସୁବିଧା । ପରୀକ୍ଷାମୂଳକ ଭାବେ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ମୁମ୍ବାଇ-ମନମାଡ଼ ପଞ୍ଚବଟୀ ଏକ୍ସପ୍ରେସରେ ଏଟିଏମ୍ ମେସିନ ଲଗାଯାଇଛି ।

ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ସହଯୋଗରେ ମୁମ୍ବାଇ-ମନମାଡ଼ ପଞ୍ଚବଟୀ ଏକ୍ସପ୍ରେସରେ ଏଟିଏମ ମେସିନ୍ ଲଗାଯାଇଛି । ଖୁବଶୀଘ୍ର ଯାତ୍ରୀଙ୍କୁ ଏହାର ସୁବିଧା ଯୋଗାଇ ଦିଆଯିବ । ବର୍ତ୍ତମାନ ଏହା ପରୀକ୍ଷାମୂଳକ ଭାବେ କରାଯାଇଛି । ଏ ନେଇ କେନ୍ଦ୍ରୀୟ ରେଳବାଇର ଲୋକସମ୍ପର୍କ ଅଧିକାରୀ ସ୍ୱପ୍ନିଲ ନୀଲା ସୂଚନା ଦେଇଛନ୍ତି । ରେଳ ଅଧିକାରୀଙ୍କ ଅନୁଯାୟୀ, ଏଟିଏମ୍ କୁ କୋଚ୍‌ର ପଛ ପାର୍ଶ୍ୱରେ ଏକ କ୍ୟୁବିକେଲ୍‌ରେ ରଖାଯାଇଛି, ଯାହା ପୂର୍ବରୁ ଏକ ଅସ୍ଥାୟୀ ପାଣ୍ଟ୍ରି ଭାବରେ ବ୍ୟବହୃତ ହେଉଥିଲା । ଟ୍ରେନ୍ ଚାଲୁଥିବା ସମୟରେ

ଯେମିତି କୌଣସି ଅଘଟଣ ନ ଘଟେ ତାହାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ସଟର୍ ଡୋର୍ ମଧ୍ୟ ଲଗାଯାଇଛି । ମନମାଡ୍ ରେଳ ୱାର୍କସପ୍‌ରେ ଆବଶ୍ୟକୀୟ କୋଚ୍ ପରିବର୍ତ୍ତନ କରାଯାଇଥିଲା। ପଞ୍ଚବଟୀ ଏକ୍ସପ୍ରେସ୍ ପ୍ରତିଦିନ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଏବଂ ନାସିକ୍ ଜିଲ୍ଲାର ମନମାଡ୍ ଜଙ୍କସନ୍ ମଧ୍ୟରେ ଚଳାଚଳ କରେ। ଏହାର ଏକପାଖିଆ ଯାତ୍ରା ପ୍ରାୟ ୪.୩୫ ଘଣ୍ଟା ସମୟ ନେଇଥାଏ ।

ଅନ୍ୟପକ୍ଷରେ ଭାରତୀୟ ରେଳ ତାର ୧୭୨ ବର୍ଷର ଯାତ୍ରା ପୂରଣ କରିଛି । ୧୮୫୩ ମସିହା ଆଜିର ଦିନ ଅର୍ଥାତ ଏପ୍ରିଲ ୧୬ ତାରିଖରେ ଭାରତ ଇତିହାସରେ ଗଡ଼ିଥିଲା ପ୍ରଥମ ରେଳ । ୪୦୦ ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଯାତ୍ରା ଆରମ୍ଭ ହୋଇଥିଲା । ଯାହା ଆଜି ପର୍ଯ୍ୟନ୍ତ ନିରବଚ୍ଛିନ୍ନଭାବେ ଯାତ୍ରା ଜାରି ରଖିଛି । ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିଛି ଭାରତୀୟ ରେଳ । ଆଉ ଏହି ଇତିହାସର ଫର୍ଦ୍ଦରେ ଯୋଡ଼ି ହୋଇଛି ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ରେଳ ପଥ ଚେନ୍ନାବ ବ୍ରିଜ୍ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button