ଜୁନ୍ ୫ରେ ଅଯୋଧ୍ୟାରେ ରାମ ଦରବାର ପ୍ରାଣ ପ୍ରତିଷ୍ଠା

ନୂଆଦିଲ୍ଲୀ, ୨୯/୦୫ : ଅଯୋଧ୍ୟା ରାମମନ୍ଦିରରେ ଜୁନ୍ ୫ରେ ରାମ ଦରବାର ସମେତ ୭ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବ । ପୂର୍ବାହ୍ନ ୧୧ଟା ପରେ ନିର୍ଦ୍ଧାରିତ ଲଗ୍ନରେ ପୂଜା ଆରମ୍ଭ ହେବ । ପ୍ରାଣ ପ୍ରତିଷ୍ଠାରେ ମୋଟ ୧୨୦ ଆଚାର୍ଯ୍ୟ ସାମିଲ ହେବେ । ଅନ୍ୟ ଆଚାର୍ଯ୍ୟମାନେ କାଶୀ, ପ୍ରୟାଗରାଜ ସମେତ ଅନ୍ୟ ତୀର୍ଥସ୍ଥଳୀରୁ ଆସିବେ । ଏ ନେଇ ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଯୋଗୀ ଆମନ୍ତ୍ରଣ ସ୍ୱୀକାର କରିଥିବା ମଧ୍ୟ ଚମ୍ପତ ରାୟ କହିଛନ୍ତି । ଏଥିସହ ୨୦ ସନ୍ଥ-ଧର୍ମାଚାର୍ଯ୍ୟଙ୍କ ସମେତ ଟ୍ରଷ୍ଟ ପଦାଧିକାରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସନାତନ ପରମ୍ପରା ଅନୁସାରେ, ଦ୍ୱାପର ଯୁଗର ଆରମ୍ଭ ଜୈଷ୍ଠ ମାସ ଶୁକ୍ଳ ପକ୍ଷର ଦଶମୀ ତିଥିରେ ହୋଇଥିବା ବିବେଚନା କରାଯାଏ । ଚଳିତ ବର୍ଷ ଏହି ତିଥି ଜୁନ୍ ୫ରେ ପଡ଼ୁଛି । ଜୁନ୍ ୨ରେ ମହିଳାମାନେ ସରଯୂ ନଦୀରୁ ପାଣି ଆଣି କଳସ ଯାତ୍ରା କରିବେ । ଜୁନ୍ ୩ ସକାଳ ସାଢ଼େ ୬ଟାରେ ସବୁ ମନ୍ଦିରରେ ବିଶେଷ ପୂଜାପାଠ ଆରମ୍ଭ ହେବ । ଏହା ରାତି ୯ଟା ପର୍ଯ୍ୟନ୍ତ ଚାଲିବ । ଅପରାହ୍ନରେ ଘଣ୍ଟାଏର ବିଶ୍ରାମ ସମୟ ରହିବ । ଏହିଭଳି ଜୁନ୍ ୪ ଏବଂ ଜୁନ୍ ୫ରେ ବି ବିଶେଷ ପୂଜାପାଠ ହେବ । ୧୧ଟା ପରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେବ । ମନ୍ଦିରର ପ୍ରଥମ ମହଲାରେ ରାମ ଦରବାର ସ୍ଥାପନ ହୋଇଛି । ସବୁ ମନ୍ଦିରରେ ଜୁନ୍ ୫ରେ ପ୍ରାଣ ପ୍ରତିଷ୍ଠା କରାଯିବ। ଏହା ବ୍ୟତୀତ ସପ୍ତ ମଣ୍ଡପମ୍ରେ ୭ ମନ୍ଦିର ରହିଛି । ସେଥିରେ ମହର୍ଷି ବାଲ୍ମିକୀ, ବିଶ୍ୱାମିତ୍ର, ଅଗସ୍ତ୍ୟ, ବଶିଷ୍ଠ, ନିଷାଦରାଜ, ଅହଲ୍ୟା ଏବଂ ଶବରୀ ମୂର୍ତ୍ତି ସ୍ଥାପନ ହୋଇସାରିଛି ।