ମନୋରଞ୍ଜନ

ଆସନ୍ତାକାଲି ଗ୍ରାଣ୍ଡ୍ ଫିନାଲେ : ୩ କୋଟିର ମୁକୁଟ ପିନ୍ଧିବେ ବିଶ୍ୱ ସୁନ୍ଦରୀ

ନୂଆଦିଲ୍ଲୀ, ୩୦/୦୫ : ଗତ ବୁଧବାର ତେଲଙ୍ଗାନାର ହାଇଦ୍ରାବାଦରେ ୭୨ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ସବୁଠୁ କଠିନ ତଥା ଅନ୍ତିମ ପର୍ଯ୍ୟାୟ ‘ଇଣ୍ଟର୍‌ଭ୍ୟୁ ରାଉଣ୍ଡ୍‌’ ଆରମ୍ଭ ହୋଇଛି । ଏଥିରେ ବିଶ୍ୱରୁ ଆସିଥିବା ଶୀର୍ଷ-୪୦ ପ୍ରତିଯୋଗୀ ସେହିସବୁ ପ୍ରଶ୍ନର ଉତ୍ତର ଦେବେ । ମିସ୍‌ ୱର୍ଲଡ୍‌ର ସିଇଓ ଜୁଲିଆ ମୋର୍ଲେ ଗଣମାଧ୍ୟମକୁ କହିଛନ୍ତି, ନୂଆ ବିଶ୍ୱ ସୁନ୍ଦରୀ ୩ କୋଟି ଟଙ୍କାର ମୁକୁଟ ପିନ୍ଧିବେ । ମୁକୁଟର ନୀଳ ରଙ୍ଗ ଶାନ୍ତି, ଜ୍ଞାନ ଓ ବିଶ୍ୱସ୍ତତାର ପ୍ରତୀକ । ମୁକୁଟ ସହିତ ବିଶ୍ୱ ସୁନ୍ଦରୀ-୨୦୨୫ଙ୍କୁ ୧.୧୫ ଟଙ୍କା ପୁରସ୍କାର ମଧ୍ୟ ମିଳିବ । ଏହା ପୂର୍ବ ଥରଠୁ ଅଧିକ । କିନ୍ତୁ ଜୁଲିଆ କହିଛନ୍ତି, ବିଜେତା ଯେତେବେଳେ ବିଶ୍ୱ ଭ୍ରମଣ କରନ୍ତି ଏବଂ ମାନବୀୟ ପ୍ରୋଜେକ୍ଟଗୁଡ଼ିକର ଅଂଶ ହୁଅନ୍ତି, ତାହା ହିଁ ପ୍ରକୃତ ଉପହାର ହୁଏ । ବିଶ୍ୱ ସୁନ୍ଦରୀ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହିଁ ମାନବୀୟ ପ୍ରୋଜେକ୍ଟ । ଗତ ୧୦ ତାରିଖରୁ ହାଇଦ୍ରାବାଦରେ ଏମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହି ଆଧାରରେ ବିଶ୍ୱ ସୁନ୍ଦରୀ ଟାଇଟଲ୍‌ ପାଇଁ ୪୦ ଚୂଡ଼ାନ୍ତ ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି । ଏଥିରେ ଭାରତର ନନ୍ଦିନୀ ଗୁପ୍ତା ଅଛନ୍ତି । ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ନିୟମ ଅନୁସାରେ, ଶୀର୍ଷ-୪୦ରେ ୪ ମହାଦେଶର ୧୦-୧୦ ପ୍ରତିଯୋଗୀ ଭାଗ ନିଅନ୍ତି । ଆସନ୍ତା ୩୧ ତାରିଖ ରାତି ୧୦ଟାରେ ପ୍ରତିଯୋଗିତାର ଫିନାଲେ ଆରମ୍ଭ ହେବ । ରାଜି ୧ଟା ସୁଦ୍ଧା ବିଶ୍ୱ ସୁନ୍ଦରୀ-୨୦୨୫ ଘୋଷଣା ହେବ । ଏ ଅବସରରେ ସମସ୍ତ ଚୂଡ଼ାନ୍ତ ପ୍ରତିଯୋଗୀ ର‌୍ୟାମ୍ପ୍‌ ୱକ୍‌ ପରେଡ୍‌ ଓ ସାଂସ୍କୃତିକ ପ୍ରଦର୍ଶନ କରିବେ । ଏହା ପରେ ଶୀର୍ଷ-୫ ପ୍ରତିଯୋଗୀଙ୍କ ନାଁ ଘୋଷଣା ହେବ । ଜୁରି ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଆଧାରରେ ସେମାନଙ୍କୁ ନମ୍ବର ମିଳିବ । ଯେଉଁ ପ୍ରତିଯୋଗୀଙ୍କ ଉତ୍ତର ଜୁରି ସବୁଠୁ ପସନ୍ଦ କରିବେ, ସେ ବିଶ୍ୱ ସୁନ୍ଦରୀ ମୁକୁଟ ଜିତିବେ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button