ଜୁନ୍ ୮ରେ ରିଙ୍କୁ ସିଂହଙ୍କ ନିର୍ବନ୍ଧ : ସାଂସଦ ପ୍ରିୟା ସରୋଜଙ୍କୁ କରିବେ ବିବାହ

ନୂଆଦିଲ୍ଲୀ, ୦୨/୦୬ : ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଭାରତୀୟ ଦଳର ଷ୍ଟାର କ୍ରିକେଟର ରିଙ୍କୁ ସିଂହ । ସପା ସାଂସଦ ପ୍ରିୟା ସରୋଜଙ୍କ ସହିତ ତାଙ୍କ ବିବାହ ତାରିଖ ଧାର୍ଯ୍ୟ ହୋଇଛି । ଚଳିତ ବର୍ଷ ଆରମ୍ଭରେ ଉଭୟଙ୍କ ରୋକା ହୋଇଥିଲା । ଏହି କପଲଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ ଏବେ ନିର୍ବନ୍ଧ ସେରମନି ଏବଂ ବିବାହର ତାରିଖ ମଧ୍ୟ ସ୍ଥିର ହୋଇଛି । ରିଙ୍କୁ ସିଂହ ଏବଂ ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ଜୁନ୍ ୮ ତାରିଖରେ ଲକ୍ଷ୍ନୌର ଏକ ସେଭେନ୍ ଷ୍ଟାର ହୋଟେଲରେ ଅନୁଷ୍ଠିତ ହେବ । ବିବାହ ନଭେମ୍ବର ୧୮ ତାରିଖରେ ବାରାଣସୀର ତାଜ୍ ହୋଟେଲରେ କରାଯିବ । ଏହି ବିବାହରେ ଅନେକ ବଡ଼ ରାଜନେତା, ଫିଲ୍ମ ଷ୍ଟାର ଏବଂ ଶିଳ୍ପପତି ଯୋଗଦେବେ । ସପା ବିଧାୟକଙ୍କ ନିକଟତମ ଲୋକଙ୍କ ଅନୁସାରେ, ବିବାହ ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ । ନିର୍ବନ୍ଧରେ କେବଳ ପରିବାର ଏବଂ ନିକଟ ସଂପର୍କୀୟ ଲୋକ ଯୋଗ ଦେବେ । ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜ ଉଭୟ ପରସ୍ପରକୁ ପୂର୍ବରୁ ଜାଣନ୍ତି । ପ୍ରିୟାଙ୍କ ସାଙ୍ଗଙ୍କ ବାପା ରିଙ୍କୁ ସହିତ ପରିଚିତ କରାଇଥିଲେ । ପ୍ରିୟା ସରୋଜ ଭାରତର ସବୁଠାରୁ ଯୁବ ମହିଳା ସାଂସଦ । ୨୬ ବର୍ଷୀୟା ପ୍ରିୟା ସରୋଜ ୨୦୨୪ ଲୋକସଭା ନିର୍ବାଚନରେ ମଛଲିସହର ଆସନରୁ ସମାଜବାଦୀ ପାର୍ଟି ଟିକେଟରେ ଲଢ଼ି ବିଜୟ ହାସଲ କରିଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୩୫୮୫୦ ଭୋଟରେ ପରାସ୍ତ କରିଥିଲେ । ୧୯୯୮ ନଭେମ୍ବର ୨୩ରେ ଜନ୍ମିତ ପ୍ରିୟା ଦିଲ୍ଲୀସ୍ଥିତ ଏୟାରଫୋର୍ସ ଗୋଲ୍ଡେନ ଜୁବଲି ଇନଷ୍ଟିଚ୍ୟୁଟରୁ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ କରିବା ପରେ ନୋଏଡାରେ ଏଲଏଲବି ଡିଗ୍ରୀ ହାସଲ କରିଥିଲେ ।