ଜୁନ୍ ୧୨ ଆଗରୁ ଫେରିବନି ମୌସୁମୀ: ରାଜ୍ୟରେ ଛଟପଟ କରିବ ତାତି

ଭୁବନେଶ୍ୱର,୦୬/୦୬: ମୌସୁମୀ ଯାଇଛି ଯେ ଆଉ ଫେରୁନି । କାଁ ଭାଁ ଛିଞ୍ଚୁଛି । ବିସ୍ତୃତ ଅଞ୍ଚଳ ଶୁଖିଲା ପଡ଼ିଛି । ଗୁଳୁଗୁଳି ନାକେଦମ କରିଦେଲାଣି । ଆଗକୁ ଆହୁରି ସିଝାଇବ, ଛଟପଟ କରିବ । ରାଜ୍ୟରେ ଏବେ ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ବଢ଼ିବା ସହ ଗୁଳୁଗୁଳି ଜାରି ରହିବ । ଜୁନ୍ ୧୨ ଆଗରୁ ମୌସୁମୀ ଫେରିବା ସମ୍ଭାବନା କମ୍ । ଲଘୁଚାପ ହିଁ ଭରସା । ଯଦି ରଜ ବେଳକୁ ଲଘୁଚାପ ସୃଷ୍ଟି ହୁଏ, ତେବେ ଯାଇ ଓଡ଼ିଶାକୁ ମୌସୁମୀ ବର୍ଷା ଫେରିପାରେ । ପ୍ରତିଦିନ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ଆକଳନ କରାଯାଉଛି । ମାତ୍ର ବର୍ଷା ହେଉଛି କାଁ ଭାଁ ।
ଗୁରୁବାର ସକାଳରୁ ଅପରାହ୍ନ ସାଢ଼େ ୫ଟା ଭିତରେ ତାଳଚେରରେ ୩୨.୪ ମିଲିମିଟର, ଅନୁଗୁଳରେ ୩ ମିମି, ଛତ୍ରପୁରରେ ୩ ମିମି ବର୍ଷା ହୋଇଥିଲା । ବାକି ସବୁଠି ପାଗ ଶୁଖିଲା ଥିଲା । ଭୁବନେଶ୍ୱରରେ ପାଗ ଆଂଶିକ ମେଘୁଆ ଥିଲେ ବି ବର୍ଷା ଦେଖା ମିଳିଲାନି । ମେ ୨୯ରୁ ମୌସୁମୀ ଫେରାର । ଜୁନ୍ ୧୨ ଆଗରୁ ଫେରିବା ଆଶା କ୍ଷୀଣ । ତା’ ପରେ ବି ଆସିବା ନେଇ ଅନିଶ୍ଚିତତା ରହିଛି । ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ୧୧ ତାରିଖ ଭିତରେ ରାଜ୍ୟରେ ବିଶେଷ ବର୍ଷା ନାହିଁ । ଦ୍ୱିତୀୟ ସପ୍ତାହର (୧୨ରୁ ୧୮ ତାରିଖ)ରେ ପୂର୍ବ ଭାରତରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ । ଯଦିଓ ଏହି ଅବଧି ଭିତରେ ପୂର୍ବ ଭାରତକୁ ମୌସୁମୀ ଅଗ୍ରସର କରିପାରେ ।
ଏଥର ଦୁଇ ସପ୍ତାହ ଆଗୁଆ ଆସିଥିଲା ମୌସୁମୀ । ମାତ୍ର ଓଡ଼ିଶାରେ ପ୍ରବେଶ କରିବା ପରେ ମୌସୁମୀ ଦୁଇ ସପ୍ତାହ ନିଖୋଜ ରହିପାରେ । ଯଦି ଲଘୁଚାପ ନ ହୁଏ, ତେବେ ରଜବେଳକୁ ଗୁଳୁଗୁଳିରୁ ନିସ୍ତାର ଆଶା କମ୍ । ୨୦୦୯ରେ ମୌସୁମୀ ଓଡ଼ିଶାକୁ ମେ’ ୨୫ରେ ପ୍ରବେଶ କରିଥିଲା । ମାତ୍ର ଏହାପରେ ୩୧ ଦିନ ପାଇଁ ମୌସୁମୀ ଗାଏବ ହୋଇଯାଇଥିଲା । ମୌସୁମୀ ଓଡ଼ିଶାକୁ ପ୍ରବେଶ କରିବା ପରେ ୧୯୮୨ରେ ୨୬ ଦିନ, ୧୯୮୬ରେ ୨୫ ଦିନ, ୧୯୯୧ରେ ୩୧ ଦିନ, ୧୯୯୫ରେ ୧୯ ଦିନ, ୨୦୦୦ରେ ୧୩ ଦିନ, ୨୦୧୪ରେ ୧୪ ଦିନ, ୨୦୦୪ରେ ୧୫ ଦିନ ଓ ୨୦୦୬ରେ ୧୬ ଦିନ ହଜିଯାଇଥିଲା ।
ପାଣିପାଗ ବିଭାଗର ଆକଳନ ହେଲା, ଆସନ୍ତା ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । କେତେକ ବିଶେଷଜ୍ଞଙ୍କ ମତରେ ତାତି ଆହୁରି ଅଧିକ ବଢ଼ିପାରେ । ଗୁରୁବାର ୯ଟି ସ୍ଥାନରେ ପାରଦ ୩୭ ଡିଗ୍ରୀ ଟପିଥିଲା । ପାରଳାଖେମୁଣ୍ଡି ୩୮, ଝାରସୁଗୁଡ଼ା ୩୮.୪, ଅନୁଗୁଳ ୩୮.୧, ସମ୍ବଲପୁର ୩୭.୬, ହୀରାକୁଦ ୩୭.୧, ଟିଟିଲାଗଡ଼ ୩୭, ମାଲକାନଗିରି ୩୭.୨, ବୌଦ୍ଧ ୩୭.୨, କୋରାପୁଟ ୩୭.୮ ଡିଗ୍ରୀ ଥିଲା । ଆର୍ଦ୍ରତା ୬୦ରୁ ୭୦% ଉପରେ ଥିଲା ଉପକୂଳ ଅଞ୍ଚଳରେ । ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ ଗରମ ଓ ଗୁଳୁଗୁଳି ନାକେଦମ କରିପାରେ । ବର୍ତ୍ତମାନ ଗୁଳୁଗୁଳି ପ୍ରକୋପ ଏଭଳି ରହିବ ।