ସ୍ୱାସ୍ଥ୍ୟ

ଦୁଷ୍କର୍ମ ପୀଡ଼ିତାଙ୍କ ମାଆକୁ ଚିକିତ୍ସା କରିବାକୁ ଯାଇ ଲହୁଲୁହାଣ ହେଲେ ଡାକ୍ତର

ବଳାତ୍କାର ପୀଡ଼ିତାଙ୍କ ମାଆଙ୍କ ଚିକିତ୍ସା କରିବାକୁ ଯାଇଥିଲେ ଡାକ୍ତର। କିନ୍ତୁ ଲହୁଲୁହାଣ କରିଦେଲେ ଦୁର୍ବୃତ୍ତ। ଗଛରେ ବାନ୍ଧି ନିସ୍ତୁକ ପିଟିଲେ। ବିହାର ଜଙ୍ଗଲରାଜର ଆଉ ଏକ ନଜିର ଆସିଛି। ଗୟା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏ ମାମଲାରେ ଆଜି ୩ ଜଣ ମହିଳାଙ୍କୁ ଗିରଫ କରିଛି ପୁଲିସ। ଗଲା ମଙ୍ଗଳବାର ଏହି ଘଟଣା ଘଟିଥିଲା। ଗୁର୍ପା ଥାନା ଅନ୍ତର୍ଗତ ହରକୁରାହା ଗାଁରେ ଗ୍ରାମାଞ୍ଚଳ ଡାକ୍ତର ଜିତେନ୍ଦ୍ର ଯାଦବଙ୍କୁ ଗଛରେ ବାନ୍ଧି ଲୁହା ଛଡ଼ ଓ ବାଡ଼ିରେ ପିଟି ପିଟି ରକ୍ତାକ୍ତ କରିଦେଇଥିଲେ। ୨୦୨୧ରେ ଦୁଷ୍କର୍ମର ଶୀକାର ହୋଇଥିବା ଜଣେ ପୀଡ଼ିତାଙ୍କ ମାଆଙ୍କ ଚିକିତ୍ସା କରିବାକୁ ଯାଇଥିଲେ ଡାକ୍ତର ଜଣକ। ତେବେ ଚିକିତ୍ସା କରୁଥିବା ସମୟରେ ଡାକ୍ତରଙ୍କୁ କିଛି ଲୋକ ଘରୁ ଘୋଷାଡ଼ି ନେଇଥିଲେ। ଆଉ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କୁ ଉଦ୍ଧାର କରିବା ସହ ୧୦ ଜଣଙ୍କ ନାଁରେ ଫତେପୁର ଥାନାରେ ଏତଲା କରିଥିଲା। ଏମାନଙ୍କ ଭିତରୁ ଆଜି ୩ଜଣ ମହିଳାଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଲେ ଖୁସବୁ ଦେବୀ, ବାସନ୍ତୀ ଦେବୀ ଓ ପୁଟୁଲ ଦେବୀ। ବାକି ଅଭିଯୁକ୍ତଙ୍କୁ ଗିରଫ ଲାଗି ରେଡ୍ ଚାଲିଛି। ଆହତ ଡାକ୍ତର ଗୟାର ମଗଧ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ପୁଲିସ ହସ୍ପିଟାଲରେ ଡାକ୍ତରଙ୍କ ବୟାନ ରେକର୍ଡ କରିଛି। ଦୁଷ୍କର୍ମ ପୀଡ଼ିତା ମାଆଙ୍କ କହିବା କଥା, ତାଙ୍କର ୧୫ ବର୍ଷର ଝିଅକୁ ଦୁଷ୍କର୍ମ ମାମଲାରେ ୩ ଜଣଙ୍କ ସଂପୃକ୍ତି ଥିଲା। ଅଭିଯୁକ୍ତ ପରିବାର ତାଙ୍କ ଉପରେ ମାମଲା ପ୍ରତ୍ୟାହାର ଲାଗି ବାରମ୍ୱାର ଚାପ ଓ ଧମକ ଦେଉଥିଲେ। ଆଉ ସଂପୃକ୍ତ ଡାକ୍ତରଙ୍କ କେବଳ ଏତିକି ଦୋଷ ଥିଲା ଯେ, ସେ ପୀଡ଼ିତା ପରିବାରକୁ ସମର୍ଥନ କରୁଥିଲେ। ସେପଟେ ପୁଲିସ କହିଛି, ଡାକ୍ତରଙ୍କୁ ଆକ୍ରମଣ ପଛରେ ଜମି ବିବାଦ ରହିଛି। ଦୁଷ୍କର୍ମ ମାମଲା ସହ କୌଣସି ସମ୍ପର୍କ ନାହିଁ। ଏଭଳି ଘଟଣା ବିହାର ରାଜନୀତିକୁ ସରଗରମ କରିଛି। ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଡାକ୍ତରଙ୍କୁ ଆକ୍ରମଣ ଭିଡ଼ିଓ ନିଜ ଏକ୍ସ-ରେ ସେୟାର କରିବା ସହ କହିଛନ୍ତି, ବିହାର ଏବେ ତାଲିବାନୀ ଶାସନରୁ ବଳିଯାଇଛି। ଅପରାଧକୁ ରୋକିବାରେ ଏନଡିଏ ସରକାର ଫେଲ୍। ସେଥିଲାଗି ଅପରାଧୀ ଆଇନକୁ ହାତକୁ ନେବାକୁ ଡରୁନାହାନ୍ତି। ଏକଛତ୍ରବାଦ ଶାସନ ଚାଲିଛି ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନୀରବ। ସରକାର ବିଷାକ୍ତ ହୋଇସାରିଲାଣି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button