ଅନୁଗୋଳର ଝିଅ ଓଡ଼ିଶାର ସର୍ବକନିଷ୍ଠ ମହିଳା ପାଇଲଟ

ଭୁବନେଶ୍ୱର, ୧୧/୦୬ : ଛୋଟ ବେଳେ ବିମାନରେ ପ୍ରଥମ ଥର ଯାତ୍ରା କରିଥିଲେ । ସେତେବେଳେ ହିଁ ସ୍ଥିର କରିଥିଲେ ପାଇଲଟ ହେବେ । ୧୭ ବର୍ଷରେ ଦେଖିଥିବା ସ୍ଵପ୍ନ ୨୧ ବର୍ଷ ବୟସରେ ସାକାର କରିଛନ୍ତି । ଏବେ ସେ ହୋଇ ପାରିଛନ୍ତି ଓଡ଼ିଶାର ସର୍ବକନିଷ୍ଠ ମହିଳା ପାଇଲଟ । ଜଣେ କମର୍ସିଆଲ ପାଇଲଟ ଭାବେ ତାଲିମ ଶେଷ କରି ବିମାନ ଉଡାଇବାର ଲାଇସେନ୍ସ ପାଇସାରିଛନ୍ତି । ସତରେ ଦୃଢ଼ ଇଛାଶକ୍ତି, ଆଗ୍ରହ ଓ ପରିଶ୍ରମ ବଳରେ ଜଣେ ସଫଳତା ହାସଲ କରିପାରେ । ଆମେ କହୁଛୁ ଅନୁଗୋଳ ଜିଲ୍ଲା କାଙ୍ଗୁଳା ଗାଁର ସମୀକ୍ଷା ସ୍ରୋତକୀର୍ତ୍ତିଙ୍କ କଥା । ବାପା ସଞ୍ଜୟ କୁମାର ବେହେରା ପୋଲିସ୍ ବିଭାଗରେ ଚାକିରି କରିଥିବାବେଳେ ମାଆ ସରୋଜିନୀ ବାଘ ମଧ୍ୟ ପୋଲିସ୍ ବିଭାଗରେ ଚାକିରି କରିଥିଲେ । ଅତ୍ୟଧିକ ଦାୟୀତ୍ୱ ଯୋଗୁ ଝିଅକୁ ବେଶି ସମୟ ଦେଇପାରିନଥିଲେ ମଧ୍ୟ ଝିଅର ଇଚ୍ଛାକୁ ପୂରଣ କରିବାରେ କୌଣସି ଅବହେଳା କରନ୍ତି ନାହିଁ । ସମୀକ୍ଷା ଅନୁଗୋଳର ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପଢିବା ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ଏକାଦଶ ଓ ଦ୍ଵାଦଶ ପଢିଥିଲେ । ସେଦିନରୁ ଆରମ୍ଭ ହେଲା ତାଙ୍କର ପାଇଲଟ ହେବାର ଅଭିଯାନ । ନିଜେ ଇଣ୍ଟରନେଟ ସହାୟତାରେ କେଉଁଠି କିଭଳି ଆବେଦନ କରିବାକୁ ହେବ ସବୁ କିଛି ଖୋଜାଖୋଜି କରି ଶେଷରେ ଭୁବନେଶ୍ୱର ସ୍ଥିତ ସରକାରୀ ଆଭିଏସନ ଟ୍ରେନିଂ ଇନଷ୍ଟିଚ୍ୟୁଟ (GATI) ରେ ନାମ ଲେଖାଇଲେ । ଏଥିପାଇଁ ଅବଶ୍ୟ ବହୁ ପରୀକ୍ଷା ଦେଇ ଉତ୍ତିର୍ଣ୍ଣ ହେବାକୁ ପଡିଥିଲା । ଏହାପରେ ପ୍ରାକ୍ଟିକାଲ ପାଇଁ ଢେଙ୍କାନାଳ ବିରାଶିଳା ତାଲିମ କେନ୍ଦ୍ରକୁ ଆସି ସେଠାରେ ସଫଳତାର ସହ ତାଲିମ ଶେଷ କଲେ ।
ବିରାଶିଳାରେ ସିଙ୍ଗଲ ଇଞ୍ଜିନ ଟ୍ରେନିଂ ଶେଷ କରିବା ପରେ, ପୁନେରେ ମଲଟି ଇଞ୍ଜିନ ଟ୍ରେନିଂ ଶେଷ କରିଥିଲେ । ଗତ ୨୦୨୫ ଫେବୃଆରୀ ମାସରେ ସମୀକ୍ଷା କମର୍ସିଆଲ ପାଇଲଟ ଲାଇସେନ୍ସ (ସିପିଏଲ)ହାସଲ କଲେ । ଏବେ ସେ ସାରା ଓଡ଼ିଶାରେ ସର୍ବ କନିଷ୍ଠ ମହିଳା ପାଇଲଟ ଭାବେ କୃତିତ୍ୱ ଅର୍ଜନ କରି ପାରିଛନ୍ତି ।ସମୀକ୍ଷାଙ୍କ ସଫଳତା ପଛରେ ତାଙ୍କ ବାପା,ମା ଓ ପରିବାର ସଦସ୍ୟଙ୍କ ଅବଦାନ ରହିଛି ।ଝିଅର ସଫଳତାରେ ବାପା ମାଆ ବେଶ ଗର୍ବିତ ।ପିଲାଟି ଦିନରୁ ସମୀକ୍ଷା ପାଠ ପଢ଼ାରେ ବହୁତ ଭଲ ଥିଲେ । କେବଳ ପାଠ ପଢା କାହିଁକି ଚିତ୍ରାଙ୍କନ, ନୃତ୍ୟ, ଇଂରାଜୀ ଲିଖନ, କଥନ ଓ ବକୃତା ରୋଷେଇ ସବୁଥିରେ ସେ ଧୁରନ୍ଧର । ତାଙ୍କରି ମନରେ ସବୁବେଳେ ଗୋଟିଏ କଥା ଉଙ୍କି ମାରୁଥିଲା ଯେ ମହିଳା ମାନେ ଆଜିକାଲି ସବୁ କରି ପାରିବେ । ମହିଳା ସଶକ୍ତ ହେଲେ ପରିବାର ଓ ଦେଶ ସଶକ୍ତ ହୋଇ ପାରିବ। କେବଳ ଆନ୍ତରିକ ଉଦ୍ୟମ ଓ ଇଛା ଶକ୍ତି ଆବଶ୍ୟକ । ଏହାକୁ ଭିତ୍ତି କରି ସେ ଆଜି ଜଣେ ପାଇଲଟ ହୋଇ ପାରିଛନ୍ତି ।
ଆମ ରାଜ୍ୟର ସର୍ବ କନିଷ୍ଠ ମହିଳା ପାଇଲଟ ଭାବେ ସମୀକ୍ଷା ବର୍ତମାନ ୨୦୦ଘଣ୍ଟା ଉଡାଣ ସମ୍ପୂର୍ଣ୍ଣ କରିଛନ୍ତି । ତାଲିମ ପରେ ୯ହଜାର ୫୦୦ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବିମାନ ଉଡାଇଛନ୍ତି । ଭବିଷ୍ୟତରେ ସେ କୌଣସି ଏକ ଏୟାରଲାଇନ୍ସରେ ଜଣେ ଭଲ ପାଇଲଟ ହୋଇ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସମୀକ୍ଷାଙ୍କ ସଫଳତାରେ କେବଳ ଯେ ପରିବାର ବର୍ଗ ଖୁସି ତାହା ନୁହେଁ ଅଞ୍ଚଳବାସୀ ମଧ୍ୟ ବେଶ ଗର୍ବ ଅନୁଭବ କରୁଛନ୍ତି ।