ଅହମଦାବାଦ ବିମାନ ଦୁର୍ଘଟଣା : ଭାରତକୁ ସମସ୍ତ ପ୍ରକାର ସାହାଯ୍ୟ କରିବ ଆମେରିକା

ନୂଆଦିଲ୍ଲୀ, ୧୩/୦୬ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମ୍ମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଭାରତକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ବିମାନ ଦୁର୍ଘଟଣାର ଇତିହାସରେ ଏହା ସବୁଠାରୁ ଭୟଙ୍କର ଦୁର୍ଘଟଣା ବୋଲି ସେ କହିଛନ୍ତି । ଏହା ସହ କିଛି ସହଯୋଗ ଲୋଡିଲେ ଆମେରିକା ତୁରନ୍ତ ସହଯୋଗ ପ୍ରଦାନ କରିବ ବୋଲି ସ୍ପଷ୍ଟ କରିଛନ୍ତି । ବିମାନ ଉଡ଼ାଣ ଭରିବା ଦେଖି ଏହା ଠିକ ଭାବେ ଉଡୁଥିବା ଲାଗୁଥିଲା । କିନ୍ତୁ ହଠାତ ଏହାର ଇଞ୍ଜିନ ଅକାମୀ ହୋଇ ବିସ୍ଫୋରଣ ଘଟିଥିବା ଲାଗୁଛି ବୋଲି କହିଛନ୍ତି ଟ୍ରମ୍ପ । ଜୁନ୍ ୧୨, ୨୦୨୫ରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନର ଗାଟୱିକ୍ ବିମାନବନ୍ଦରକୁ ଉଡ଼ାଣ କରିଥିଲା । ଗୁରୁବାର ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନବନ୍ଦରରୁ ଲଣ୍ଡନ ଗାଟଉଇକ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ AI171 ଟେକ୍-ଅଫ୍ କରିବାର କିଛି ମିନିଟ ମଧ୍ୟରେ ମେଘାନୀ ନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପରିବାରକୁ ଟାଟା ଗ୍ରୁପ୍ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି ।